ମୁଁ ନିର୍ଭୟା କହୁଛି

ଦୟାକର ଦୟାକର ମୋ ଉପରେ,
କହୁଛି ମୁହିଁ ନିର୍ଭୟା,
ଶୁଣ ମୋର ଆର୍ତ୍ତ କରୁଣ ଚିତ୍କାର,
କରି ମୋ ଉପରେ ଦୟା।

ଏତେ ହିନୀମାନ କରି କେତେ କେତେ,
ଡାହାଳ କୁକୁର ମାନେ,
ଝୁଣି ଖାଇଗଲେ ମୋର ଶରୀରକୁ,
ପୁରୁଷତ୍ବ ଅଭିମାନେ।

ଶୁଣିଲେନି ଥରେ ମୋ କରୁଣ ଡାକ,
ନିର୍ଜନ ସଡକ ମଧ୍ୟେ,
ବାସନାର ଅନଳରେ ଜାଳିଦେଲେ,
କାମନା ର ବିଷ ଗନ୍ଧେ।

ଦେଇଗଲେ ଯେଉଁ ଶରୀରରେ ଦାଗ,
ସେହି ରାତି ସାରା ମୋତେ,
ସହି ହେଲା ନାହିଁ ବୋଲି ନେଇଗଲି,
ବିଦାୟ ଏହି ମରତେ।

କିବା ଅପରାଧ କରିଥିଲି କୁହ,
ନିଷ୍ଠୁର ପୁରୁଷ ଜାତି,
କାହିଁକି ମୋହର ଦେହକୁ ଝୁଣିଲ,
କାମନା ସାଗରେ ମାତି।

ଯେଉଁ କ୍ଷତ ଦେଲା ମୋତେ ଏ ସମାଜ,
ପାରେନାହିଁ ତାକୁ ଭୁଲି,
ମୃତ୍ୟୁ ପରେ ମଧ୍ୟ ହୃଦୟ ଶିହରେ,
ବେଦନା ପସରା ମେଲି।

ମୋର ଅପରାଧୀ ସମୂହଙ୍କୁ ସିନା,
ମିଳିଗଲା ଦିନେ ଫାଶୀ,
ସମାଜରେ ଆଉ କେତେ ବୁଲୁଛନ୍ତି,
ସେମାନଙ୍କ ଭଳି ଦୋଷୀ।

ମୋ ପରି ନିର୍ଭୟା କେତେ କେତେ ଏଠି,
ମରୁଛନ୍ତି ଜଳି ଜଳି,
ମଦର ନିଶାରେ ଦେହର ବଜାରେ,
କେତେ ପଡୁଛନ୍ତି ବଳି।

ଯେଉଁଦିନ ସେହି ଗୋଟି ଗୋଟି ଦୋଷୀ,
ଝୁଲିବେ ଫାଶୀ ଖୁଣ୍ଟରେ,
ସେହିଦିନ ମୋର ଜର୍ଜରିତ ଆତ୍ମା,
ରହିବ ଦଣ୍ଡେ ଶାନ୍ତିରେ।

Leave a Comment

Your email address will not be published. Required fields are marked *