ମୋ ଜନମ ଭୂଇଁ

ଉତ୍କଳ ଗୋ ତୁମେ ଚାରୁ ଲାସ୍ୟମୟୀ,
ଚିର ବନ୍ଦନୀୟ ପୂଜ୍ୟ ଅଟ ମହାମାୟୀ !!
ଭବ୍ୟ ତାରୁଣ୍ୟ ର ପ୍ରତୀକ ଯେ ତୁହି,
ତୋ ପରି ଜନନୀ ଜଗତେ ଯେ କାହିଁ !!

ଯହିଁ ବିରାଜିତ ନୀଳାଚଳେ ଜଗନ୍ନାଥ,
ନୀଳ ଅମ୍ବରେ ତୋର ଉଡ଼ାଏ ଯେ ନେତ !!
ସର୍ବ ଧର୍ମ ସମ ତୋ କୀର୍ତ୍ତି ଶାଳିନୀ,
ପାପ ବିଧ୍ୱଂସୀ ଗୋ ଅଟ ମମତା ଦାୟିନୀ !!

ସୂର୍ଯ୍ୟୋଦୟ ହୁଏ ଯହିଁ ତୋ କୋଳରେ ଯାଇ
ପାଷାଣ ଗାଏ ତୋ ଗାଥା ଛନ୍ଦ ଭରି ଦେଇ !!
ମଳୟ ମହକେ ଯେଣୁ ବୀରପୁତ୍ର ନିଃଶ୍ୱାସେ
ଐତିହ୍ୟର ମୂକ ସାକ୍ଷୀ ଲେଖା ସ୍ୱର୍ଣ୍ଣିମ ଇତିହାସେ !!

ଶୁଦ୍ରମୁନି ପଞ୍ଚସଖା ତୋ କୋଳ ରେ ଜନ୍ମି,
ବର୍ଣ୍ଣିଦେଲେ ଗାଥା ତୋର ଅଳଙ୍କାର ଘେନି !!
ଭଞ୍ଜ ଙ୍କ ଲାବଣ୍ୟବତୀ ତୁହି ଶାସ୍ତ୍ର ବିମଣ୍ଡିତା,
ସର୍ବ ପ୍ରାଣେ ବିରାଜିତ ଅଟୁ ବୀର ମାତା !!

ଉତ୍କଳ ଗୌରବ କୁଳବୃଦ୍ଧ ଉତ୍କଳ ର ମଣି
ଉତ୍କଳ ଭାରତୀ ଉତ୍କଳ ଘଣ୍ଟ ଯଦୁମଣି !!
ବ୍ୟାସ କବି ରାଧାନାଥ ଗାଏ ତୋର ନାମ
ପ୍ରତି ଉତ୍କଳର ଅଟୁ ତୁହି ହୃଦର ସ୍ପନ୍ଦନ !!

ସର୍ବେ ସର୍ବା ପୂଜନୀୟା ବୀର ପ୍ରସବିନୀ
ଧରମା ବାଜି ଚାଖି ଖୁଣ୍ଟିଆ ବୀର ପୁତ୍ର ଘେନି !!
ଭରି ଦେଉ ହୃଦେ ସଦା ବିଦ୍ରୋହ ର ବହ୍ନି
ଶାନ୍ତି ସୌହାର୍ଦ୍ଦ୍ୟ ପ୍ରେମ ତ୍ୟାଗ ପୂର୍ଣ୍ଣ ବାର୍ତ୍ତା ବର୍ଣ୍ଣି !!

ଏଇ ସେଇ ମାଟି ଯହିଁ ବିରାଜିଛି ଶାନ୍ତି ସ୍ତୁପ
ଏଇ ସେଇ ମାଟି ଯହିଁ ଜନ୍ମିଛି ବୀର ପାଇକ !!
ଏଇ ସେଇ ମାଟି ଯହିଁ ଲଭିଛି ଭାଗ୍ୟ ଚଣ୍ଡାଶୋକ
ଏଇ ସେଇ ମାଟି ଯହିଁ ଗାଉଛି ଗାଥା କୋଣାର୍କ !!

ଗରବେ କହେ ମୁଁ ଓଡ଼ିଆ, ମୋ ଭାଷା ଭାରି ବଢିଆ
ମୋ ଜାତି ଓଡ଼ିଆ, ଜଗତେ ନାହିଁ କେହି ତା ଭଳିଆ …!!

2 thoughts on “ମୋ ଜନମ ଭୂଇଁ”

  1. DIPTI PRAKASH MOHANTA

    ଖୁବ୍ ସୁନ୍ଦର ବର୍ଣ୍ଣନା👌🏻👌🏻
    ବନ୍ଦେ ଉତ୍କଳ ଜନନୀ 🙏🙏💐

Leave a Comment

Your email address will not be published. Required fields are marked *