ରହସ୍ୟ

ଆସନ୍ତା କାଲିର କିଛି
ରହସ୍ୟର ଉଦଘାଟନ ପାଇଁ
ମୁଁ ଅହରହ ଧାଇଁ ଚାଲିଛି
ପଦଦଳିତ କରି ମୁଣ୍ଡ ଟେକୁଥିବା
ଆଜିର ଛୋଟ ଛୋଟ ଖୁସିର
ମୁହୂର୍ତ୍ତ ଗୁଡାକୁ।

ମୋ ଭାଗର ଆକାଶ ଖଣ୍ଡିକ
ସାଜେ ମୋ ପାଇଁ ନିଅଣ୍ଟ
ଆକାଂକ୍ଷାର ଦୁର୍ବାର ସ୍ୱପ୍ନସବୁ
ନାଚିଉଠନ୍ତି ନିମିଳିତ ଚକ୍ଷୁର
ପଲକ ସେପାଖେ
ଆଉ ମୁଁ ନିଶାଗ୍ରସ୍ତ ପାଗଳ ପରି
ଧାଇଁଚାଲେ ସାଉଁଟିବାକୁ
ଦିଗନ୍ତ ଶେଷରେ ଚମକୁଥିବା
କିଛି କାଚଖଣ୍ଡକୁ ହୀରାର ଭ୍ରମରେ।

କିନ୍ତୁ ଘୁଞ୍ଚି ଘୁଞ୍ଚି ଯାଏ
ସେ ଭବିଷ୍ୟତର ଧୂମ୍ର ମରୀଚିକା
ତଥାପି କି ସମ୍ମୋହନେ
କବଳିତ କରିଛି ସେ
ସ୍ୱପ୍ନିଳ ସୀମାରେଖା ପରର
ବିମୁଗ୍ଧ ରହସ୍ୟ
ମୁଁ ତୁଣ୍ଡିବନ୍ଧା ଦାମୁଡ଼ି ପରି
ଏକମୁହାଁ ହୋଇ ଧାଇଁଚାଲେ
ମୋହରେ ଆସକ୍ତ ହୋଇ
କେଜାଣି କେଉଁ ପ୍ରଲୁବ୍ଧ ରହସ୍ୟର।

ରହସ୍ୟର ମୋହଗ୍ରସ୍ତେ ଅନ୍ଧ ହୋଇ
ମୁଁ ଏଡ଼ାଇଯାଏ ସତ୍ୟର ଆଲୋକକୁ
କେଜାଣି ସେ ଦିଗନ୍ତ ଶେଷରେ
ଦିଶୁଥିବା ଆଖିଝଲସା
ନକ୍ଷତ୍ର ଗୁଡ଼ିକ ସତରେ ନକ୍ଷତ୍ର
ନା ମୋ ଆଖିର ରଶ୍ମିରେ
ପ୍ରତିଫଳିତ ହେଉଥିବା
କିଛି ମିଥ୍ୟା ପ୍ରହେଳିକା
ବୁଝିବା ଆଗରୁ ମୁଁ ପଡି ସାରିଥାଏ
କେଉଁ ଏକ କାପାଳିକର
ତନ୍ତ୍ରସାଧନାରେ।

ପଥ ଧାରେ ଫୁଟିଥିବା
ଅଭିମାନୀ ଫୁଲଗଛମାନେ
ମୁହଁମୋଡ଼ି କଣେଇ ଚାହାନ୍ତି
ପ୍ରଶ୍ନିଳ ଚକ୍ଷୁରେ,
ମୋର ବା କି ଯାଏଆସେ
ମୁଁ ତ ଧାଉଁଛି
ଦିଗନ୍ତ ଶେଷରେ ଥିବା
ଅଚିହ୍ନା ରହସ୍ୟର ମୋହ ବନ୍ଧନରେ।

କ୍ଳାନ୍ତ ଅବଶ ଦେହେ
ମୁଁ ଆଜି ବହୁଦୂର ଆସିଯିବା ପରେ
ମୋ ପାଖରେ ନା ଅଛି
ସେ ଦିଗନ୍ତର ପ୍ରଛନ୍ନ ତାରକା
ନାଁ ଅଛନ୍ତି ମୋ ଚଲାପଥକୁ
କୁସୁମିତ କରିଥିବା
ସେ ଅଭିମାନିନୀ ରଙ୍ଗୀନ ରଙ୍ଗଣି।

ଏବେ ଖାଲି ବାକି ଯାହା ଅଛି
ଅନେକ ହାରିବାର ବିସ୍ମୃତ ଉଦାସ
କିଛି ବିଜୟର ହର୍ଷିଳ ଉଲ୍ଲାସ
ଓ ବହୁ କିଛି ଛାଡ଼ି ଆସିବାର
ପ୍ରଲମ୍ବିତ ସୁପ୍ତ ଅବଶୋଷ।

1 thought on “ରହସ୍ୟ”

Leave a Comment

Your email address will not be published. Required fields are marked *