ତୁମେ ଛବି ଆଙ୍କ,
ନାଲି, ନେଳୀ, ହଳଦୀ, ଧବଳ;
ରଙ୍ଗ ରେ ଚିତ୍ରିତ କର ସଫେଦ ପୃଷ୍ଠା ସବୁକୁ!
କେବେ ଫୁଲ ପୁଣି କେବେ ପ୍ରଜାପତି,
କେବେ ଡେଣା ଯୁକ୍ତ ବିହଙ୍ଗ ତ କେବେ ରସ ଅପହୃତ ମହୁମାଛି;
ଗୋଟେ ପରେ ଗୋଟେ ଜୀବନ୍ୟାସ ଦେଇଚାଲ ସଫେଦ ପୃଷ୍ଠା ସବୁକୁ…..
ତୁମର ପ୍ରତିଟି ଛବିରେ ଲୁଚି ଥାଏ ଅପୂର୍ବ ମାଦକତା,
ସପ୍ତରଙ୍ଗୀ ଇନ୍ଦ୍ରଧନୁ ପରି ବିସ୍ତୀର୍ଣ୍ଣ, ବିଶାଳ, ବିଚିତ୍ରା;
କେବେ ଶୀତ ସକାଳ ର କୋହଲା ପାଗ ପରି କମନୀୟ,
ପୁଣି ବର୍ଷା ଦିନିଆ ଓଳିତଳ ପାଣି ଫୋଟକା ପରି ରମଣୀୟ…….
ସମସ୍ତ ଦିଗଙ୍ଗନା, ଚଞ୍ଚଳା ନିର୍ଝରଣୀ, ଚପଳଛନ୍ଦା,
ତୁମ ଛବିର ଚିତ୍ର ପଟ ରେ ବନ୍ଧା;
ଯାମିନୀ ଅନ୍ତରାଳେ ସେ ଅଭିସାରିକା,
ଝିଙ୍କାରିର ଝଙ୍କାର ଆହ୍ଲାଦିନୀ ର ଉନ୍ମାଦତା;
ଶୁଭ୍ରାଙ୍ଗିନୀର ସେ ଶୁଭ୍ର ଜ୍ୟୋସ୍ନା!
ମେଘ ଉହାଡର ସେ ଜହ୍ନ,
ପୁଷ୍କରିଣୀରେ ଖିଲି ଖିଲି ହସୁଥିବା କୁମୁଦିନୀର ବାସ୍ନା…….
ତୁମେ ଏ ସମସ୍ତ ପ୍ରତିଫଳିତ ଛବି ଆଙ୍କ,
କବିର କବିତା ପରି ନୀରବ ଶବ୍ଦ ସବୁ କାନଭାସ୍ ଫର୍ଦ୍ଦରେ ବିସ୍ଥାପିତ ହୁଏ,
ସମାନ୍ତରାଳ ଭାବେ ରଙ୍ଗ ସବୁ ନେଶି ହେଇ ଯାଏ ;
ତୁମେ କିନ୍ତୁ ହାର ନାହିଁ, ଆଙ୍କି ଚାଲ ହାତ ଶୂନ୍ ପଡ଼ିବା ଯାଏ;
ଆଙ୍କୁ ଥାଅ, ଚିରୁ ଥାଅ; ଚିରୁ ଥାଅ,ଆଙ୍କୁ ଥାଅ;
ଶୂନ୍ୟ ରେ ଗର୍ଜନ କରି ଚିତ୍ର ସବୁ ନିଜକୁ ସଜାଡି ନିଏ…….
ତୁମ ଗବାକ୍ଷ ରନ୍ଧ୍ରରେ ଚନ୍ଦ୍ରମସି ଲୁଚେ ଆତ୍ମାହୁତି ଦେଇ,
ଦିବାଲୋକର ସେ ପ୍ରଶସ୍ତ ସୁଦୂର ପ୍ରସାରୀ ଧୂନି କୁଣ୍ଡରେ;
ଧୀରେ ଧୀରେ ତୁମେ ମଧ୍ୟ ହାର ହାଇ ମାଡ଼ରେ,
ନିଜ କୁ ବିସ୍ଥାପିତ କର ନିଦ ମାଉସୀର ଶୀତଳ ସ୍ପର୍ଶ ରେ…….





