କାହିଁ କେତେ ରଙ୍ଗ ବଦଳାଇବା ପରେ
ଦାଉ ଦାଉ ଜଳି ଜଳି
ଶେଷରେ ଥକିଯାଇ ମରିଯାଏ ସେ ସୂର୍ଯ୍ୟ
କେଉଁ ଏକ ଦୂର ଦିଗବଳୟ ଛାତିରେ !
ଔଦ୍ଧତ୍ୟର ଚରମସୀମା ଲଂଘିଗଲା ପରେ
କିଏ ଅବା କେତେ ଆଉ ସହ୍ୟ କରିବ ?
ଦଳଦଳ ପକ୍ଷୀ ଯେ ସେଠି
ମୁଣ୍ଡିଆଟେ ମାରି ଫେରିଆସନ୍ତି
କିଛି ଅଳ୍ପ ବ୍ୟବଧାନରେ କାନ୍ଦଣା ଗୀତର
ଏକ ଅବ୍ୟବସ୍ଥିତ ଧୁନ୍ ଛାଡ଼ି ।
ସମସ୍ତେ ତ ତା’ ଅଧୀନସ୍ଥ କର୍ମଚାରୀ
ଟିକେ ଦେଖାଣିଆ ଶୋକବ୍ୟକ୍ତ ନ କଲେ ବି
ତହିଁ ଆର ଦିନକୁ ନିଯୁକ୍ତି ନାହିଁ ।
କିନ୍ତୁ ଏ ସନ୍ଧ୍ୟା ବି ଆଉ ସନ୍ଧ୍ୟା ପରି ଲାଗୁନାହିଁ ।
ଆଗରୁ କହୁଥିଲା ସେ କେତେ ପ୍ରେମ କଥା
ଏବେ ବଖାଣିଚାଲିଛି ଅଧିକାର-କର୍ତ୍ତବ୍ୟର ଗାଥା
ବେତନଭୋଗୀଙ୍କର ଅବୈତନିକ
କାର୍ଯ୍ୟସୂଚୀର ଭାଗବଣ୍ଟା
ଆଉ ସେସବୁକୁ ଝରକା ବାହାରୁ ଲୁଚି ଲୁଚି ଦେଖୁଥାଏ
ଜ୍ୟୋତ୍ସ୍ନାର୍ଣ୍ଣବର ସ୍ନିଗ୍ଧ କାନ୍ତ ଶୀତଳତା।
ଜହ୍ନ ବି ଏବେ ଅକାଳ ବାର୍ଦ୍ଧକ୍ୟଗ୍ରସ୍ତ
ବାଟ ଦେଖାଇ ବାଟବଣା କରିଚାଲିଛି ବାଟୋଇଙ୍କୁ।
ସେ ସୁଉଚ୍ଚ ବତୀଖୁଣ୍ଟଟା ଆଜି ପଥ ଦେଖାଉଥିବାର ଗର୍ବରେ
ଟିକେ ଅଧିକ ସଫା ଦିଶୁଛି,
ଯାହା ତା ଠିକ୍ ତଳେ ଲକ୍ଷ୍ୟହୀନ ପଥିକ ପରି
ଇତଃସ୍ତତ ଘୁରିବୁଲୁଛନ୍ତି ଅନେକ ପତଙ୍ଗ।
କିନ୍ତୁ ସେମାନେ କି ଅବା ଜାଣନ୍ତି,
ଏ ନିଆଁ ନୁହେଁ ଯେ, ଝାସ ଦେଇ ମୁକ୍ତି ପାଇଯିବେ !
ନୀଳ ଚାଦର ଉପରେ ଧପ୍ ଧପ୍ ହେଉଥାନ୍ତି କେତେ ତାରା
ଏପଟେ ପୃଥିବୀର କେତେ ଫୁଟ୍ ଉପରେ
ତାକୁ ଆକାଶ ମଣି ପକ୍ଷ ଲଗାଇ ଉଡ଼ିବୁଲେ
ଆଉ ଏକ ଉଦ୍ଧତ ତାରା (ଖଦ୍ୟୋତ)।
ତଥାପି ଏମାନେ ସବୁ ନିଷ୍କ୍ରିୟ !
ଉପରେ ଘନ ଅନ୍ଧକାର
ଆଉ ତଳେ ଆଖିଝଲସା ଆଲୁଅର ସମାହାର।
କିନ୍ତୁ ଏସବୁକୁ ଭ୍ରୁକ୍ଷେପ ନକରି
ଅପଲକ ନୟନରେ ଚାହିଁ ରହିଥାଏ ଆକାଶ।
ସେ ଦେଖେ କିଛି ଭିନ୍ନ….
ବାହାରେ ମହଙ୍ଗା ଆଲୁଅ
ଆଉ ତା ଭିତରେ ତା ଠାରୁ ଟିକେ ବେଶୀ ମହଙ୍ଗା ଅନ୍ଧକାର
କାର୍ଯ୍ୟରୁ ବିରତି ନେବା ପାଇଁ
ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ।
ଆଉ ଏ ଭିତରେ ବସିଥାଏ ଏ ସମସ୍ତଙ୍କୁ ଖୋଜି ଖୋଜି
ତା ନିଜ କବଜାକୁ ଆଣିବାକୁ ପ୍ରୟାସ କରୁଥିବା ମଣିଷଟିଏ !
ସନ୍ଧ୍ୟା ସମୟରେ ନିଅନ୍ ବତୀ ତଳେ ବସି
ଆକାଶ ବକ୍ଷରେ ଜହ୍ନ ସହ
ପ୍ରେମାଳାପ କରୁଥିବା ପାଗଳ କବିଟିଏ।
ସୁନ୍ଦର ❣️❣️❣️