ବିଦାୟ ନେଉଛି ବରଷାରାଣୀ ସବୁଜିମା ପୂର୍ଣ୍ଣ ଏଇ ଧରଣୀ
ସବୁଜ ପଣତ ବକ୍ଷରେ ଧରି ଉତ୍ସବ ମୁଖର ଧରା ସୁନ୍ଦରୀ
ଏ ନବରାତ୍ର
ମା ଆଗମନେ ପୃଥ୍ବୀ ପବିତ୍ର ।
ଶରତ ଆକାଶେ ନିର୍ମଳ ଚାନ୍ଦ ମା ଆଗମନେ ଫେରେ ଆନନ୍ଦ
ଆଲୋକେ ସଜ୍ଜିତ ଗାଁ ସହର ଭଳିକିଭଳି ମେଢ଼ ସୁନ୍ଦର
ଏ ନବରାତ୍ର
ପଟୁଆର ଦେଖି ଆନନ୍ଦ ନେତ୍ର ।
ଶାରଦୀୟ ନିଶି ଉଜ୍ଜ୍ବଳ ଜ୍ୟୋତ୍ସ୍ନା ସକଳ ହୃଦୟ ପୂଜାରେ ମଗ୍ନା
ବିରସ ଯେପରି ସଭିଙ୍କୁ ମନା ସରସ ହୃଦୟ ଖୁସିର ବନ୍ଯା
ଏ ନବରାତ୍ର
ସମ୍ବର୍ଦ୍ଧନା ଲାଗି ତତ୍ପର ନେତ୍ର ।
ଆସୁଅଛି ମା ବଡ଼ ସରାଗେ ଆଶ୍ୱିନ ମାସରେ ନିର୍ମଳ ରାଗେ
କାଶତଣ୍ଡି ଫୁଲ ନଈ ପଠାରେ ମା ଆଗମନେ ଧରାବକ୍ଷରେ
ଏ ନବରାତ୍ର
ସସାଗରା ମହି ହୁଏ ପବିତ୍ର ।
ଫଳପୁଷ୍ପ ଏଠି ଜାତିଜାତିକା ମନ ଯେ ସବୁରି ରସରସିକା
ଶିଳ୍ପୀ ଗଢେ ମୂର୍ତ୍ତି ଅତି ଆଦରେ ମୃଣ୍ମୟୀ ଦେବୀଙ୍କୁ ନିଷ୍ଠା-ଯତ୍ନରେ
ଏ ନବରାତ୍ର
ନଗର ଡଗର ସବୁ ପବିତ୍ର ।
ବସି ମୃଗରାଜ ପୃଷ୍ଠଉପରେ ବିଜେ ମାତା ଏବେ ଧରାପୃଷ୍ଠରେ
ଆନନ୍ଦେ ଅଧିର ସରଳ ମନ ଆଲୋକିତ ମହି ହୃଦ ପ୍ରସନ୍ନ
ଏ ନବରାତ୍ର
ମାଆର ସ୍ବାଗତେ ଆତ୍ମା ପବିତ୍ର ।
ମା ଆଗମନ ବରତା ଜାଣି ସଜେଇ ହେଲାଣି ଧରଣୀ ରାଣୀ
ସାଗର ବକ୍ଷକୁ ଚିଟାଉ ଦିଏ ରାଇଜେ ଆମର ବାତ୍ୟା କରାଏ
ଏ ନବରାତ୍ର
ବାତ୍ୟା କଥା ସ୍ମରି ଥରଇ ଗାତ୍ର ।
ମାଆ ତୁ ସଭିଙ୍କୁ ଆଶିଷ ଦେ ପୃଥିବୀ ବକ୍ଷରୁ କଳୁଷ ନେ
ସୁନ୍ଦର ହେଉ ମନ ଆମର ଆଉ କେ “ନିର୍ଭୟା ” ନୋହୁ ଆମର
ଏ ନବରାତ୍ର
ମାତୃ ରୂପେ ଚକ୍ଷୁ ପବିତ୍ର ।
ଆସୁଛୁ ମା ଏବେ ଶାରଦୀୟରେ ମନକୁ ଭରିଦେ ପବିତ୍ରତାରେ
ପୂଜା ଅର୍ଘ୍ୟ ଘେନାକର ଆମର ମନରୁ କୁବୁଦ୍ଧି ହରଣ କର
ଏ ନବରାତ୍ର
ମାଆ ମାଆ ଡାକରେ କର୍ଣ୍ଣ ପବିତ୍ର ।