ଓଡ଼ିଶା

ଆର୍ଯ୍ୟଯୁଗରୁ ଅତ୍ୟାଧୁନିକ ପର୍ଯ୍ୟନ୍ତ
ସାରା ଜଗତର ଶ୍ରେଷ୍ଠ ଯିଏ
କଙ୍ଗୋଦ , କଳିଙ୍ଗ,ଉତ୍କଳ, ଓଡ଼ିଶା
କେତେ ନାମରେ ନାମିତ ସିଏ ॥

ସୁନ୍ଦର ଶ୍ୟାମଳ ସବୁଜତାରେ
ତା’ ଅଙ୍ଗ ପରିଶୋଭିତ
କିଏ କରିପାରେ ତା’ ରୂପ କଳନା
ସେ ତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିମଣ୍ଡିତ ॥

ଗରୀୟାନ୍‌ ଐତିହ୍ୟ କି ବର୍ଣ୍ଣିବି ମୁହିଁ
କେଡେ ବିଶାଳ ତା’ ପରମ୍ପରା
ଗୌରବାନ୍ୱିତ ତା’ ପ୍ରତି କ୍ଷେତ୍ରଫଳ
ବିଶ୍ଵ ଦରବାରେ ସେ ଚର୍ଚ୍ଚିତ ଚେହେରା ॥

ସୌନ୍ଦର୍ଯ୍ୟାର ଗନ୍ତାଘର ଏ ମୋ ଓଡ଼ିଶା ମାଟି
ଓଡ଼ିଆ ମୋ ଆପଣାର ମିଠା ଭାଷା
ମହାକବି ସାରଳା, ପଞ୍ଚସଖା, ଉପେନ୍ଦ୍ର , ରାଧାନାଥ
ଯହିଁ ଲେଖିଲେ ସାହିତ୍ୟ ଯୁଗର ପରିଭାଷା ॥

ବୀର ପ୍ରସବିନୀ ଏହି ମୋ ଓଡ଼ିଶା ମାଟି
କରିଥିଲେ ଜୟ ଗଙ୍ଗାଠାରୁ ଗୋଦାବରୀ
ନଇଲେ ନାହିଁ କି ଭାଙ୍ଗିଲେ ନାହିଁ , ମୌର୍ଯ୍ୟର ଦର୍ପରେ
ଚଣ୍ଡାଶୋକ ହେଲେ ଧର୍ମାଶୋକ ଏ ପବିତ୍ର ଭୂମିରେ ॥

ମହାନ୍‌ ଏହାର ଶିଳ୍ପୀ ତା’ ଶିଳ୍ପ କାରୁକାର୍ଯ୍ୟ
କେତେ ଅଦ୍ଵିତୀୟ ସ୍ଥାପତ୍ୟ ଭେଟିଛି ତା ନିହାଣ
ଗଢି ସେ ଯାଇଛି ବିଶ୍ଵର ଅନ୍ୟ ଏକ ଆଶ୍ଚର୍ଯ୍ୟ
ଶାଳଭଞ୍ଜିକା ଦେହେ ସତେ ଦେଇଅଛି ପ୍ରାଣ ॥

ପ୍ରଥମ ମୁକ୍ତି ସଂଗ୍ରାମର ମଶାଲ୍ ଜଳିଥିଲା
ଏହି ବୀର ଖୋରଧା ପାଇକ ଗଡେ
କେତେ ବୀରପୁତ୍ରର ଖଡଗ ଚମକେ
ଅନ୍ୟାୟ ଅନୀତି ବିରୁଦ୍ଦେ ଯେବେ ଲଢେ ॥

ଚିରନମସ୍ୟ ସେ ଜୟୀ ରାଜଗୁରୁ
ପ୍ରାତଃ ସ୍ମରଣୀୟ ବୀର ସୁରେନ୍ଦ୍ର ସାଏ
ବାର ବର୍ଷର ବାଜି ରାଉତ ବି
ସ୍ବାଧୀନତା ପାଇଁ ଜୀବନ ଦିଏ ॥

ଖାଦ୍ୟ ବି ନିଆରା ଭାଷା ବି ନିଆରା
ଆଦର୍ଶ ତା’ ଭାଇଚାରା
ଦଣ୍ଡ, ଛଉ, ପାଲା, ରାମଲୀଳା , ରଣପା
ପୃଥିବୀ ପ୍ରସିଦ୍ଧ ତା ଧନୁଯାତରା ॥

ବଡ଼ଦେଉଳରେ ବଡ଼ଠାକୁର
ବିଜେ ମହୋଦଧି କୂଳେ
ଆସନ୍ତି ଓହ୍ଲେଇ ବଡ଼ଦାଣ୍ଡ କୁ
ଥରେ ଭକ୍ତ ଡ଼ାକିଦେଲେ ଆକୁଳେ ॥

ଓଡ଼ିଶୀ ନୃତ୍ୟ ବାରେ ଦେଖିଛି ଯିଏ
ସମ୍ମାନରେ ହାତ ଯୋଡିଛି ସିଏ
ରଙ୍ଗବତୀର ରଙ୍ଗୀନ୍‌ ଧୁନ୍‌ ଶୁଭୁଛି
ସମ୍ବିଲପୁରରୁ ପ୍ୟାରିସ୍ ଯାଏ ॥

ଧନ୍ୟ ଏହି ମାଟି ତା ପାଣି ପବନ
ଧନ୍ୟ ତା’ ଅକଳ୍ପନୀୟ କୀର୍ତ୍ତିରାଜି
କବିର ଲେଖନୀ ଅଟକି ଯିବ ବର୍ଣ୍ଣିବାକୁ
ଅନନ୍ୟ ଅନୁପମା ତା’ ଶୋଭାରାଜି ॥

2 thoughts on “ଓଡ଼ିଶା”

  1. DIPTI PRAKASH MOHANTA

    ଖୁବ୍ ସୁନ୍ଦର 👌🏻👌🏻💐💐
    ତୁମ ଲେଖନୀ କାଳଜୟୀ ହେଉ💐💐
    ବନ୍ଦେ ଉତ୍କଳ ଜନନୀ 🙏🙏

Leave a Comment

Your email address will not be published. Required fields are marked *