ନିଆରା ଏ ମାଟି, ମାଟିର କଥା,
ନିଆରା ଉତ୍କକ ଉତ୍କଳୀୟଙ୍କ ଗାଥା
ବଉଳ ଲୋ…(!)
ଧନ୍ୟ ଓଡ଼ିଆଙ୍କ ଐତିହ ଗୌରବ,
ବାର ମାସେ ଏଠି ତେର ପରବ,
ବଉଳ ଲୋ…(!)
ପାଦେ ସରୁ ଅଳତାର ଗାର,
ଆଖିରେ ନାଇ କଜଳ ଧାର,
ବଉଳ ଲୋ….(!)
ଗୋଟି ଗୋଟି ରଖିଥା ସପନ ସାଇତି,
ରଜ ଦୋଳି ସାଥେ ଗାଇବୁ ଗୀତି
ବଉଳ ଲୋ….(!)
କହିବୁ କୁଆଁରୀ ମନର କଥା,
ଥିରି ଥିରି କରି ଦୋଳି ଖେଳୁ ଥା
ବଉଳ ଲୋ….(!)
ମଥାରେ ଟୋପି ଟୋପି ଚନ୍ଦନ ଟିପା,
ଭାରି ଅବୁଝା କୁଆଁରୀ ମନଟା
ବଉଳ ଲୋ…(!)
ବାପାଙ୍କ ପାଖରେ ଦୋଳିର ଅଳି,
ବରଷ ବିତିଲେ ଯାଏ ଲୋ ସରି,
ମନେ ପଡେ ମା’ର ରଜ ପୋଡ଼ ପିଠା
ବଉଳ ଲୋ….(!)
ଦୋଳି ପବନେ ଯାଏ ସେ ପାରି
ନାରୀ ମନ ଟା ଯେ ଭାରି ସୁକୁମାରୀ,
ବଉଳ ଲୋ….(!)
ଦୋଳି ଛିଡ଼ିଲେ ଛିଡେ ଗୋଇଠି,
ମନଟା ଛିଡ଼ିଲେ ପଡଇ ଗଣ୍ଠି
ବଉଳ ଲୋ….(!)
ରଜ ପାନପରି ନାଲି ନାରୀର ମନ,
ପଣତେ ବାନ୍ଧେ ସଭିଙ୍କୁ କରି ଯତନ
ବଉଳ ଲୋ…(!)
ଆଷାଢ଼ ଛୁଏଁ ଲୋ ମାଟି,
ସିନ୍ଦୁର ଟୋପେ ଲୋ ନାଲି ଶଙ୍ଖା ଦୁଇଟି,
ବଉଳ ଲୋ….(!)
ବରଷାକୁ ଛୁଇଁ ମହୀ ହସେ ଖିଲି ଖିଲି,
ନବ ବଧୂ ମୁହଁ ଦିଶେ ଝିଲିମିଲି
ବଉଳ ଲୋ….(!)
ମାଟିରେ ଖେଳେ ଲୋ ସାଧବ ବୋହୁ,
ଅଝଟ କେତେ ଯେତେ ଭାଇକୁ କହୁ
ବଉଳ ଲୋ…..(!)
ଭାଇ ଦିଏ ଦୋଳି ଝୁଲେଇ,
ମିଠା ଖିଲି ପାନ ଦିଏ ଖୁଆଇ
ବଉଳ ଲୋ…..(!)
ତଅପୋଇ ପରି ଭାଇଟେ ଥିଲେ,
ଆକାଶ ଚାନ୍ଦ ଲୋ ହାତରେ ମିଳେ
ବଉଳ ଲୋ….(!)
ଗେହ୍ଲେଇ ଭଉଣୀ ସାଥିରେ ବାଦ,
ନୂଆ ଜାମା ପାଇଁ କେତେ ଯେ ନାଟ
ବଉଳ ଲୋ….(!)
ରଜ ଯାଏ ବରଷକେ ସରି,
କଥା ସବୁ ବଉଳ ବାନ୍ଧିଥା ଗଣ୍ଠି କରି
ବଉଳ ଲୋ…. (!)
ଫେରିବ ଆଷାଢ଼ ସବୁ ବରଷ,
ଫେରିବ ନାହିଁ ଲୋ କୁଆଁରୀ ବୟସ
ବଉଳ ଲୋ…. (!)
ରଜ ଦୋଳି କଟମଟ,
ଝୁଲି ଝୁଲି ବଉଳ ଗାଉଥା ଗୀତ
ବଉଳ ଲୋ… (!)
ଯା, ଯାରେ ଦୋଳି ମୋ ପବନେ ବହି
ଆସିବୁ ସୁନାର କଣ୍ଢେଇ ନେଇ
ବଉଳ ଲୋ… (!)





