ପ୍ରେମ ପ୍ରାପ୍ତି ନୁହଁ ଏକ ନୀରବ ସାଧନା

ଅସଜଡା ସବୁକୁ ସଜାଡିବାକୁ

ଆଜି ନାହିଁ ନଥିବା ସ୍ୱପ୍ନ…!

ଖୁବ୍ ମିଠା  ବାସୁଥିଲା ଆଜି ଏ ସହରର ପବନ

ତୁମ ଅପେକ୍ଷାରେ ଦିନ ସବୁ ସରିଗଲା ପରେ

ଦେଖୁଥିଲି ଆଖି ହଳେ

ତୁମକୁ ଚୋରି କରିଥିବା 

କେଉଁ ଏକ ଆଇନାର ପ୍ରତିବିମ୍ବରେ..!

ତୁମ ଆଖିରେ ଏବେ ବହି ଯାଉଥିବା ନଈ

ଢଳ ଢଳ ପାଣିରେ

ସ୍ୱପ୍ନ ସବୁ ତରଙ୍ଗର ଢେଉ

ଯେଉଁଠି ଅନେକ ରଙ୍ଗର ପସରା,

ବାଆର ଆଶାରେ ନାଆ ଧରି

କେହି ଜଣେ ଅଜଣା ନାବିକ 

ଯିଏ ଅଣ୍ଟା ଭିଡିଛି ପାର କରିବାକୁ

ସ୍ୱପ୍ନକୁ ,ଆର ପାରିକୁ …|

ଆଜି ସହର ର ଆକାଶଠୁ

କୂଆଖାଇ ଶୁଣିଛି ତା ଅତୀତ ପୃଷ୍ଠା,

ସହରକୁ ଛୁଇଁ ଯାଇଥିବା କେଉଁ ଏକ ଝିଅଟିଏ

ଅଥବା ତୁମେ କହି ପାର 

ସହରକୁ ଗଢି ସାରିବା ପରେ

ନିଜକୁ ଭୁଲି ଯାଇଥିବା  ପ୍ରେମିକା ଟିଏ…!

କାହାକୁ ପ୍ରେମ ରେ ପକେଇ ପାରିନି ବୋଲି  ତ

ଅକାରଣରେ ନିଜକୁ କାରଣ ଭାବି

ସମୟକୁ ଅଲଗା କରିଛି ନିଜ ଠୁ 

ଖାଲି ଯାହା ଅଲଗା କରି ପାରିନି 

ପ୍ରେମର ସେ ଶବ୍ଦସବୁ 

ସାଇତିଛି ଯୁଗ ଯୁଗ ଧରି

କହିବାକୁ ତୁମକୁ ….!

ସତରେ କଣ ତୁମେ ଶୁଣି ପାରୁନ

ଏକାକୀ ନଈ ପାଖରୁ ପବନରେ କବିତା

ରାତିର ଗପ ପଢିବା ଆଗରୁ

ତୁମେ କଣ ବୁଝିପାରୁନ ସନ୍ଧ୍ୟାର ନୀରବତା …!

ସତେ ଯେମିତି ବିରାମ ଚିହ୍ନରେ ସମୟ,

ତୁମ ଅନୁପସ୍ଥିତିରେ 

ହାୟେ, ମୁଁ କେତେ ଅସହାୟ

ତୁମ ଠୁ ଫେରିଲା ପରେ 

ବ୍ୟସ୍ତ ଏବେ ନିଜେ ନିଜକୁ ଖୋଜିବାରେ…!

ସଂଜ ଲେଉଟିଲା ବେଳେ

ଭେଟ ହେଲେ 

ଠିକ୍ ତୁମ ପରି କେହି ଜଣେ…!

କହି ଆସିଲି ତୁମ କଥା 

ଏଇ ଯେମିତି

ତୁମେ ନୀରବତାରେ ହରେଇ ପାର ନଦୀକୁ 

ମହ୍ଲାରରେ ଯୋଖି ପାର ମେଘକୁ 

ପବନକୁ ଶିଖେଇ ପାର ରାଗିଣୀର ସ୍ୱର

ଆକାଶ ଛାତିରେ ପାଦ ରଖି

ତୁମେ ବି ବାନ୍ଧି ପାର ଘୁଙ୍ଗୁର….|

ମୁଣ୍ଡ ଟେକିଲାଣି ଖରା

କୁହୁଡିରେ ହଜିଯାଉଛି ଚା ଗ୍ଲାସ୍ ର ଧୂଆଁ

ଆଜିର ଖବର କାଗଜରେ

ଗତ କାଲି ରାଜ ରାସ୍ତା ଅବରୋଧର ନିଆଁ

ପୁଣି ଚଳ ଚଞ୍ଚଳ ହେଲାଣି ଏ ସହର

ଧିରେ ଧିରେ ନୀରବି ଯାଉଛି ନୀରବତାର ଚିତ୍ର

ଏ ସବୁରେ ବୁଝିବାକୁ ହୁଏ ପାହିଗଲାଣି ରାତି

ତଥାପି ତୁମ ଅପେକ୍ଷାରେ ମୁଁ ଯେମିତି କି ସେମିତି…!

2 thoughts on “ପ୍ରେମ ପ୍ରାପ୍ତି ନୁହଁ ଏକ ନୀରବ ସାଧନା”

Leave a Comment

Your email address will not be published. Required fields are marked *