ଓଃ….!
ଏ କେମିତିକା ଅନୁଭବ ?
ଏଣେତେଣେ ବିଚ୍ଛୁରିତ ଭାବନାସବୁ ମଧ୍ୟେ,
ଅଦେଖା, ଅକୁହା ପ୍ରଳାପର ସୌଧେ,
ସତେକି କିଛି ଦୂରେଇଯାଉଛି !
ଖୁବ୍ ଖୁବ୍ ତୀବ୍ରବେଗରେ
ଦୂରକୁ, ଆହୁରି ଦୂରକୁ ।
ନିଶ୍ଚଳ ଥାଇ ବି ଶରୀର,
ମନଟା ପ୍ରବାହମାନ, ଏ କୂଳରୁ ସେ କୂଳ
ଯେମିତି କେହିଜଣେ ଅତି ନିଜର, ହଜିଯାଉଛି
ସେଇ ଅନତିଦୂର ହିମଶଯ୍ୟାରେ
ଆଗକୁ, ଆହୁରି ଆଗକୁ ।
ଶତ ଚେଷ୍ଟାପରେ ବି,
ନା ଧିମେଇପାରୁଛି ତା’ ବେଗ, ନା ବଢ଼େଇପାରୁଛି ମୋର
ବରଂ ବଢ଼ି ବଢ଼ି ଯାଉଛି ଦୂରତା
ଆଉ ଲିଭି ଲିଭି ଯାଉଛି ସେ, କୁହୁଡ଼ିର ମାୟାଜାଲରେ
ଭିତରକୁ, ଆହୁରି ଭିତରକୁ ।
ଧେତ୍ ! ଏ ରସିକ ଚନ୍ଦ୍ରମା ବି,
କାହିଁକି ଆଜି ଧୋକା ଦେଉଛି,
ବାଟ ଦେଖେଇବା ବଦଳରେ, ସିଏ ବି ଲୁଚି ଲୁଚି ଯାଉଛି
ପୂର୍ଣ୍ଣିମାର ଏ ସଫେଦ୍ ଆକାଶରେ,
ଗଭୀରକୁ, ଆହୁରି ଗଭୀରକୁ ।
ନା…..!
ଆଉ ସହିହେଉନି ଏ ବିରହ,
ହେଲେ ତାଙ୍କୁ ଅଟକେଇବାକୁ ମୋର ବା କାହିଁ ସାହସ,
ବାସ୍ ଶୁଣିଦେଇଯାଅ ଥରେ
ଏ ବ୍ୟାକୁଳତା, ଏ ଆତ୍ମୀୟତା
ରହିଥିଲା, ରହିଛି ଆଉ ରହିଥିବ ଆଜୀବନ
ଖାଲି ଅବ୍ୟକ୍ତ ରହିଗଲା ଏ ଅନୁଭବ ।
ନା କୋଳେଇନେଇ ଭାଗ୍ୟବତୀ ହେଲା,
ନା ଦୂରେଇଦେଇ ସ୍ବାଧୀନତା ଦେଇପାରିଲା,
ତୁମକୁ, ହଁ ହଁ ତୁମକୁ ଆଉ ତୁମ ଭାବନା ସବୁକୁ ।
ଶେଷ ପ୍ରହରର ପରିଣତି,
ଇତି ହୋଇ ରହିଗଲା ଯେମିତି
ଶବ୍ଦମାନଙ୍କ ଗହଳିରେ ହଜିଗଲା ମୋ ସାହସ,
ଆଉ ରହିଗଲା ମୋ ପ୍ରେମ
ସାଜି ଏକ ଅଧାଗଢ଼ା, ଅସମ୍ପୂର୍ଣ୍ଣ ଉପନ୍ୟାସ ।






ବାଃ 👌
ଧନ୍ୟବାଦ ମ୍ଯାଡାମ