ପ୍ରେମ – ଏକ ଅସମ୍ପୂର୍ଣ୍ଣ ଉପନ୍ୟାସ

ଓଃ….!

ଏ କେମିତିକା ଅନୁଭବ ?

ଏଣେତେଣେ ବିଚ୍ଛୁରିତ ଭାବନାସବୁ ମଧ୍ୟେ,

ଅଦେଖା, ଅକୁହା ପ୍ରଳାପର ସୌଧେ,

ସତେକି କିଛି ଦୂରେଇଯାଉଛି !

ଖୁବ୍ ଖୁବ୍ ତୀବ୍ରବେଗରେ

ଦୂରକୁ, ଆହୁରି ଦୂରକୁ ।

ନିଶ୍ଚଳ ଥାଇ ବି ଶରୀର,

ମନଟା ପ୍ରବାହମାନ, ଏ କୂଳରୁ ସେ କୂଳ

ଯେମିତି କେହିଜଣେ ଅତି ନିଜର, ହଜିଯାଉଛି

ସେଇ ଅନତିଦୂର ହିମଶଯ୍ୟାରେ

ଆଗକୁ, ଆହୁରି ଆଗକୁ ।

ଶତ ଚେଷ୍ଟାପରେ ବି,

ନା ଧିମେଇପାରୁଛି ତା’ ବେଗ, ନା ବଢ଼େଇପାରୁଛି ମୋର

ବରଂ ବଢ଼ି ବଢ଼ି ଯାଉଛି ଦୂରତା

ଆଉ ଲିଭି ଲିଭି ଯାଉଛି ସେ, କୁହୁଡ଼ିର ମାୟାଜାଲରେ

ଭିତରକୁ, ଆହୁରି ଭିତରକୁ ।

ଧେତ୍ ! ଏ ରସିକ ଚନ୍ଦ୍ରମା ବି,

କାହିଁକି ଆଜି ଧୋକା ଦେଉଛି,

ବାଟ ଦେଖେଇବା ବଦଳରେ, ସିଏ ବି ଲୁଚି ଲୁଚି ଯାଉଛି

ପୂର୍ଣ୍ଣିମାର ଏ ସଫେଦ୍ ଆକାଶରେ,

ଗଭୀରକୁ, ଆହୁରି ଗଭୀରକୁ ।

ନା…..!

ଆଉ ସହିହେଉନି ଏ ବିରହ,

ହେଲେ ତାଙ୍କୁ ଅଟକେଇବାକୁ ମୋର ବା କାହିଁ ସାହସ,

ବାସ୍ ଶୁଣିଦେଇଯାଅ ଥରେ

ଏ ବ୍ୟାକୁଳତା, ଏ ଆତ୍ମୀୟତା

ରହିଥିଲା, ରହିଛି ଆଉ ରହିଥିବ ଆଜୀବନ

ଖାଲି ଅବ୍ୟକ୍ତ ରହିଗଲା ଏ ଅନୁଭବ ।

ନା କୋଳେଇନେଇ ଭାଗ୍ୟବତୀ ହେଲା,

ନା ଦୂରେଇଦେଇ ସ୍ବାଧୀନତା ଦେଇପାରିଲା,

ତୁମକୁ, ହଁ ହଁ ତୁମକୁ ଆଉ ତୁମ ଭାବନା ସବୁକୁ ।

ଶେଷ ପ୍ରହରର ପରିଣତି,

ଇତି ହୋଇ ରହିଗଲା ଯେମିତି 

ଶବ୍ଦମାନଙ୍କ ଗହଳିରେ ହଜିଗଲା ମୋ ସାହସ, 

ଆଉ ରହିଗଲା ମୋ ପ୍ରେମ 

ସାଜି ଏକ ଅଧାଗଢ଼ା, ଅସମ୍ପୂର୍ଣ୍ଣ ଉପନ୍ୟାସ ।

2 thoughts on “ପ୍ରେମ – ଏକ ଅସମ୍ପୂର୍ଣ୍ଣ ଉପନ୍ୟାସ”

Leave a Comment

Your email address will not be published. Required fields are marked *